ଡ଼ଙ୍ଗା ବୁଡି ୯ ମୃତ, ମୃତକ ଙ୍କ ପରିବାର କୁ ୪ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0 444


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ନୂତନ ବର୍ଷ ର ଆରମ୍ଭ ହୋଇଛି ଏକ ଦୁଃଖଦ ଘଟଣାରୁ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀର ଶାଖା ଖୋଳାନଦୀ ବାଲିଘାଟଠାରେ ବୁଧବାର ସନ୍ଧ୍ୟାରେ ଏକ ଡଙ୍ଗା ବୁଡ଼ି ଯାଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି । ଆଉ ଜଣେ ୬ ବର୍ଷର ଶିଶୁ ଏବେ ବି ନିଖୋଜ ଅଛି । ଗତକାଲି ରାତି ତିନିଟା ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଚାଲିଥିଲା । ମୃତ ମହିଳା ହେଲେ ପ୍ରଭାତି ସ୍ବାଇଁ (୩୫) । ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ପାରାଦୀପ ନିକଟସ୍ଥ ଚଉମୁହାଣିଠାରୁ ଉଦ୍ଧାର ନିମନ୍ତେ ଘଟଣାସ୍ଥଳକୁ ଯାଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ସଂପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିବା ସହ ଆହତମାନଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ଘୋଷଣା କରାଯାଇଛି । ଏଥିସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଓଡ୍ରାଫ ଟିମ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଡଙ୍ଗା ଚାଳକକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି ।

ପ୍ରକାଶ ଯେ, ନୂଆବର୍ଷ ଅବସରରେ ବୁଧବାର ବଣଭୋଜି କରିବା ପାଇଁ ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମର ୪୫ ପରିବାରର ପ୍ରାୟ ୫୫ଜଣ ମା’ ମଙ୍ଗଳା ନାମକ ଏକ ଡଙ୍ଗାରେ ହୁକିଟୋଲାକୁ ବୁଲିବାକୁ ଯାଇଥିଲେ । ସେମାନେ ହୁକିଟୋଲା ଜେଟିରୁ ସନ୍ଧ୍ୟା ୬ଟାରେ ଡଙ୍ଗାରେ ଫେରୁଥିଲେ । ଖୋଳାନଦୀ ଦେଇ ଫେରିବା ବେଳେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବତିଘର ପଞ୍ଚାୟତ ଅଧୀନ ନିପାଣିଆ ଗ୍ରାମର ବାଲିଘାଟ ବାଙ୍କମୁଣ୍ଡରେ ପାରାଦୀପ ପଟୁ ଆସୁଥିବା ଏକ ଡଙ୍ଗା ନିକଟତର ହୋଇଯାଇଥିଲା । ଏହାଦେଖି ଦୁର୍ଘଟଣା ଭୟରେ ଯାତ୍ରୀମାନେ ଡଙ୍ଗାର ଗୋଟିଏ ପାର୍ଶ୍ୱକୁ ଚାଲି ଯାଇଥିଲେ । ଏହି ସମୟରେ ଉଚ୍ଚ ଜୁଆର ଥିବାରୁ ଡଙ୍ଗାରେ ପାଣି ପଶି ଯିବାରୁ ଡଙ୍ଗା ଟି ବୁଡି ଯାଇଥିଲା ।

Leave A Reply

Your email address will not be published.