ବାର୍ଡ ଫ୍ଲ୍ୟୁ ପାଇଁ ପ୍ରଶାସନ ପକ୍ଷରୁ କୁକୁଡ଼ା ମରା ଅଭିଯାନ

0 497

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଚାଲିଛି । ରବିବାର ତୃତୀୟ ଦିନରେ ୬ଟି ଗାଁରୁ ୩,୬୩୦ଟି କୁକୁଡ଼ା ମରାଯାଇଥିବାବେଳେ ୩୮୫ଟି ଅଣ୍ଡା ପୋତାଯାଇଛି । ଦିନକୁ ଦିନ ଆଖାପାଖ ଗାଁ ରେ କାଉ, କୁକୁଡ଼ା ମରିବା ବାର୍ଡ ଫ୍ଲୁ ଭୟକୁ ଆହୁରି ବଢାଇ ଦେଇଛି । ରବିବାର ସଂକ୍ରମିତ ଅଞ୍ଚଳ ମାଲୁଦଠାରୁ ୨କିମି ଦୂର ମଲ୍ଲେଶ୍ୱରୀ ଗାଁ ରେ ୫ଟି କାଉ ମରିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବ୍ରାହ୍ମଣଦେଓର ଏକ କୁକୁଡ଼ା ଫାର୍ମରୁ ଯାଇଥିବା ନମୁନା ରିପୋର୍ଟ ପଜିଟିଭି ବାହାରିଛି ।

ତୃତୀୟ ଦିନରେ ୫ଟି ରାପିଡ ରେସ୍ ପନ୍ସ ଟିମ୍‌ ପ୍ରଥମେ ମାଲୁଦଠାରେ ପହଞ୍ଚି ବାହାରେ ବୁଲୁଥିବା କୁକୁଡାଙ୍କୁ ଧରି ମାରିଥିଲେ। ପୋଲିସ ଉପସ୍ଥିତିରେ ଜନସାଧାରଣଙ୍କ ସହମତିରେ ଏହି କୁକୁଡ଼ା ମରାଯାଇଥିଲା । ଏହାପରେ ବ୍ରାହ୍ମଣଦେଓର ଏକ କୁକୁଡ଼ା ଫାର୍ମରେ ୩ଟି ଟିମ୍‌ ପହଞ୍ଚଥିଲେ । ଶୁକ୍ରବାର ଏଠାରୁ ଯାଇଥିବା ନମୁନା ପଜିଟିଭ ବାହାରିଥିବା ରବିବାର ଜଣାପଡିବା ପରେ ଏହା ପରିସରକୁ ବିଶୋଧନ କରାଯାଇଥିଲା । ସେହିପରି ମଲ୍ଲେଶ୍ୱରୀରେ କାଉ ମରୁଥିବାରୁ ୨ଟି ଟିମ୍‌ ସେଠାରେ ପହଞ୍ଚି । ୫ଟି କୁକୁଡ଼ା ମାରିବା ସହ ୨୮୧ଟି ଅଣ୍ଡା ନଷ୍ଟ କରିଥିଲେ ।

ବ୍ଲକ ମୁଖ୍ୟ ପଶୁ ଚିକିତ୍ସାଧିକାରୀ ରଶ୍ମିରଞ୍ଜନ ନନ୍ଦ କହିଛନ୍ତି, ଲୋକଙ୍କୁ ସଚେତନ କରାଯିବା ସତ୍ତ୍ବେ କେତେଜଣ କୁକୁଡ଼ାଙ୍କୁ ବାହାରକୁ ଛାଡି ଦେଇଥିଲେ । କିନ୍ତୁ ଏହି କୁକୁଡ଼ା ପାଳକଙ୍କୁ କ୍ଷତିପୂରଣ ରାଶି ଦିଆଯିବ ନାହିଁ । ସେହିପରି ବାର୍ଡ ଫ୍ଲୁ ସଂକ୍ରମିତ ସ୍ଥାନକୁ ୫ ଦିନ ଧରି ବିଶୋଧନ କରାଯିବ ବୋଲି ନନ୍ଦ ସୂଚନା ଦେଇଛନ୍ତି ।

Loading...

Leave A Reply

Your email address will not be published.