ଗୋ ସୁରକ୍ଷା ନାଁରେ ଲଙ୍କାକାଣ୍ଡ, ଲୋକଙ୍କ ଟେକା ମାଡ଼ରେ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ

0 655

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁପିର ବୁଲନ୍ଦ୍‌ ସହରରେ ଗୋହତ୍ୟା ଗୁଜବକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ଲୋକଙ୍କ ଟେକାମାଡ଼ରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟି ଥିବାବେଳେ ପୋଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟଣାରେ ଜଡିତ ଥିବା ୪ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି ।

ମହାଉ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ସ୍ଥାନୀୟ ଲୋକେ କେତେକ ଗାଈ ଓ ବାଛୁରୀଙ୍କ ଶରୀରର କିଛି ଅଂଶ ପାଇବା ପରେ ଗୋ ହତ୍ୟା ଗୁଜବ ସୃଷ୍ଟି ହୋଇଥିଲା । ବିଭିନ୍ନ ହିନ୍ଦୁ ସଙ୍ଗଠନର ସଦସ୍ୟ ଓ ଉତ୍ତ୍ୟକ୍ତ ଗ୍ରାମବାସୀ ଗୋରୁଙ୍କ ଦେହାବଶେଷକୁ ଏକ ଟ୍ରାକ୍ଟର ଟ୍ରଲିରେ ଚିଙ୍ଗ୍‌ରାଓ୍ବାଠି ଥାନାକୁ ଆଣି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେମାନେ ପୋଲିସ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇ ବୁଲନ୍ଦ୍‌ସହର-ଗଢ଼ ରାଜପଥ ଅବରୋଧ କରିଥିଲେ । ପୋଲିସ ସେମାନଙ୍କୁ ଏଥିରୁ ଶାନ୍ତ ରହିବାକୁ କହିବାରୁ ସୁରକ୍ଷା ବଳ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଉତ୍ତ୍ୟକ୍ତ ଲୋକଙ୍କ ଟେକାମାଡ଼ରେ ଗୁରୁତର ହୋଇଥିବା ସ୍ୟାନା ଥାନାର ଏସ୍‌.ଏଚ୍‌.ଓ ସୁବୋଧ କୁମାର ସିଂଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ପୋଲିସ ଆତ୍ମରକ୍ଷା ପାଇଁ ଭିଡ଼ ଉପରକୁ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ୨୦ ବର୍ଷୀୟ ଯୁବକ ସୁମିତ ପ୍ରାଣ ହରାଇଛନ୍ତି । ଅସାମାଜିକଙ୍କୁ ଚିହ୍ନଟ କରି ଧରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ତନାଘନା ଚଳାଇ ୪ ଜଣଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ଏସ୍‌.ଏସ୍‌.ପି କେ.ବି.ସିଂ ଏବଂ ଜିଲ୍ଲାପାଳ ଅନୁଜ କୁମାର ଝା ସୂଚନା ଦେଇଛନ୍ତି ।

ଅନ୍ୟପଟେ କଶ୍ମୀରର କଠୁଆ ଜିଲାରେ ଗୋ ଚାଲାଣ ହେଉଥିବାବେଳେ ଗୋରୁ ବୋଝେଇ ଟ୍ରକ୍‌କୁ ଜାଳି ଦିଆଯାଇଛି । ତଥାକଥିତ ଗୋ ରକ୍ଷକମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଜମ୍ମୁ-ପଠାନ୍‌କୋଟ୍‌ ଜାତୀୟ ରାଜପଥରେ ରାସ୍ତା ରୋକ କରିଛନ୍ତି । ଉଭୟ ହିଂସାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Loading...

Leave A Reply

Your email address will not be published.