ରାଜ୍ୟ ସରକାର କୁ ସିଧାସଳଖ ଆକ୍ରମଣ ନକରି ମାପିଚୁପି ଭାଷଣ ଦେଲେ ମୋଦି

0 835



ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪ ହଜାର ୫ଶହ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରି ଅପରାହ୍ନରେ ଫେରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବରିଷ୍ଠ ଭାଜପା ନେତାମାନେ ସ୍ବାଗତ କରିଥିଲେ । ସେଠାରୁ ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସଭାମଞ୍ଚରେ ବସି ବିଭିନ୍ନ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ କରିଥିଲେ । ଏହି ଅବସରରେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ ଜାରି କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଲଳିତଗିରି ସଂଗ୍ରହାଳୟର ମଧ୍ୟ ଲୋକାର୍ପଣ କରିଥିଲେ ।


ଏହାପରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଥିବା ଗୋଶାଳା ପଡିଆରେ ପହଞ୍ଚି ସେଠାରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ । ଜନସମାବେଶରେ ମୋଦି ୩୫ମିନିଟ୍ ଭାଷଣ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ସମ୍ପର୍କରେ ସିଧା ସଳଖ ମୁହଁ ଖୋଲିନଥିଲେ । ତେବେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମୋଦିଙ୍କୁ ଆକ୍ରଣାତ୍ମକ ଆଭିମୁଖ୍ୟରୁ ଓହରିବା ପାଇଁ ବାଧ୍ୟ କରିଥିବା ଦେଖାଯାଇଥିଲା । ଏପରିକି ମୋଦି ନିଜ ଭାଷଣରେ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରି ପାରି ନ ଥିଲେ । ଜନସମାବେଶରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ମାପିଚୁପି ଭାଷଣ ଦେଉଥିବା ଦେଖାଯାଇଥିଲା ।

ଏହି ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶାକୁ ସାମିଲ୍ କରି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଏହି ଯୋଜନା ଲାଗୁ ହେଲେ ଗରିବ ଲୋକମାନେ ଦେଶର ବଡ଼ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରନ୍ତେ, କିନ୍ତୁ ଓଡ଼ିଶା ଏଥିରୁ ବଞ୍ଚତ ହୋଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦୦ ଦିନରେ ୬ ଳକ୍ଷ ଗରିବ ରୋଗୀ ଏହାର ସୁବିଧା ନେଇଥିବାବେଳେ ଜଣେ ହେଲେ ଓଡ଼ିଆ ଏହାର ଫାଇଦା ପାଇପାରିନାହାନ୍ତି । ସେ ଆହୁରି ମଧ୍ୟ କହିଥିଲେ ସ୍ୱଚ୍ଛତା ଅଭିଯାନରେ ଓଡ଼ିଶା ପଛରେ ରହିଛି । ଏଠାକାର ମହିଳା ଓ ଶିଶୁ କୁପୋଷଣର ଶିକାର ହେଉଥିବାବେଳେ ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି । ପୁଣି ଓଡ଼ିଶାରେ ବହୁ ଅଞ୍ଚଳରେ ବିଶୁଦ୍ଧ ପାଣି ମିଳୁ ନାହିଁ । ଶିକ୍ଷକମାନଙ୍କୁ ବେତନ ପାଇବା ଲାଗି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ପଡ଼ୁଛି । ଚିଫ୍ ଫଣ୍ଡ ଦୁର୍ନୀତି ସହିତ ଓଡ଼ିଶାକୁ ମାଡ଼ି ବସିଛି ପିସି ସଂସ୍କୃତି । ଓଡ଼ିଶାରେ ଭ୍ରଷ୍ଟାଚାର ଦାନବ ଶକ୍ତିଶାଳୀ ହୋଇ ଚାଲିଛି । ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଥିଲେ, ଓଡ଼ିଶାରେ ଦୁର୍ନୀତି ଦାନବକୁ ଦାନାପାଣି ଦେଉଛି କିଏ ? ଆମେ ଆପଣଙ୍କ ସାଥିରେ ଅଛୁ, ବାସ୍ ଦରକାର ଖାଲି ଆପଣମାନଙ୍କର ଆଶୀର୍ବାଦ । ଆମେ ମିଶନ ଉପରେ ବାହାରିଥିବା ଲୋକ । ସବକା ସାଥ୍, ସବକା ବିକାଶ ଆହ୍ୱାନ ନେଇ ଆମେ କାମ କରିଚାଲିଛୁ । ଆଉ ଆମେ ଓଡିଶାର ବିକାଶ ବି ଚାହୁଁଛୁ । ଯଦି ଓଡିଶାବାସୀଙ୍କର ଆମ ଉପରେ ଆଶୀର୍ବାଦ ରହିବ ତେବେ ଆମେ ନିଶ୍ଚୟ ଓଡିଶାରେ ସରକାର ଗଢିବୁ । ଆଉ ଓଡିଶାର ପ୍ରତିଟି ଗଳି କନ୍ଦିରେ ବିକାଶର ଧାରା ବୋହିବ । ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଶେଷ କରିଥିଲେ ମୋଦି ।

Loading...

Leave A Reply

Your email address will not be published.