ଉଚ୍ଚ ହୃଦୟର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ

0 3,700

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ବିଗତ କିଛିଦିନ ଧରି ସମାଲୋଚନା କରି ଆସୁଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରି ମାନବିକତାର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଆଜି ଦେହାନ୍ତ ହୋଇଯାଇଛି । ୭୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଦାମଙ୍କ ପୁଅ ସମ୍ବିତଙ୍କ ଆଜି ଜନ୍ମ ଦିନ ଓ ସେହିଦିନ ତାଙ୍କ ମା’ ତାଙ୍କୁ ଛାଡି ଚାଲିଯାଇଥିବାରୁ ସେ ଖୁବ ଦୁଃଖିତ ବୋଲି କହିଛନ୍ତି ସମ୍ବିତ ।

ସୂଚନା ଅନୁଯାୟୀ, ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ପୁରୀରେ ସ୍ନେହଲତାଙ୍କ ଶେଷକୃତ୍ୟ ହେବବୋଲି ପୁଅ ସମ୍ବିତ ସୂଚନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେ.ଭି ସିଂହଦେଓ, ରାଜ୍ୟସଭା ସଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଦାମଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରିଥିଲେ ଓ ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ ।

ବିଜେଡିରୁ ବହିଷ୍କୃତ ହେବାପରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଟାର୍ଗେଟ କରି ଅନେକ ସମାଲୋଚନ କରି ଆସୁଥିଲେ ଦାମ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ଯିଏ ହରାଇବା ମୁଁ ତା’ସହ ଅଛି ବୋଲି ଦାମ କହିଥିଲେ ଓ କିଛିଦିନ ତଳେ ଦିଲ୍ଲୀ ଯାଇ ବିଜେପିରେ ଯୋଗଦାନ ଦେଇଥିଲେ । ଏସବୁ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ପତ୍ନୀଙ୍କ ବିୟୋଗ ଖବର ପାଇ ତାଙ୍କ ଶେଷ ଦର୍ଶନ କରିବାକୁ ଦାମଙ୍କ ବାସଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଦାମ କୋହ ସମ୍ଭାଳିପାରିନଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.