ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ଲୋକପ୍ରିୟ ଆଇଏଏସ ଡକ୍ଟର କ୍ରିଷ୍ଣ କୁମାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଲୋକପ୍ରିୟ ଆଇଏଏସ ଡକ୍ଟର କ୍ରିଷ୍ଣ କୁମାର । ଡକ୍ଟର କ୍ରିଷ୍ଣ କୁମାର ଆଜି ସକାଳ ୧୧ଟା ସମୟରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ । ରାଜ୍ୟ ସରକାର ଗତ ୧୫ ତାରିଖରେ ଡକ୍ଟର କ୍ରିଷ୍ଣ କୁମାରଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ। ଏହି ଦାୟିତ୍ୱ ଗ୍ରହଣ ଅବସରରେ ଡକ୍ଟର କ୍ରିଷ୍ଣ କୁମାର କହିଛନ୍ତି କି ସେ, ଆଦର୍ଶ ଗୁରୁକୂଳ ନିର୍ମାଣ, ଶ୍ରୀମନ୍ଦିରର ବିକାଶ, ସେବାୟତଙ୍କ ବାସଗୃହ ସମସ୍ୟା ଓ ମହାପ୍ରଭୁଙ୍କ ନୀତିକାନ୍ତି ଆଦି ପ୍ରସଙ୍ଗକୁ ପ୍ରାଥମିକତା ଦେବେ । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ଅଧିକ ଆଗମନକୁ ନେଇ ସେ ଅଧିକ ଯତ୍ନଶୀଳ ହେବେ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୫ତାରିଖରେ ପ୍ରଶାସକ ଡକ୍ଟର କ୍ରିଷ୍ଣ କୁମାରଙ୍କୁ ମିଳିଥିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ । ଡକ୍ଟର କ୍ରିଷ୍ଣ କୁମାର ପୂର୍ତ୍ତ ବିଭାଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ବଦଳରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଜଣେ ଦକ୍ଷ ଅଫିସର ଭାବେ ଡକ୍ଟର କ୍ରିଷ୍ଣ କୁମାର ବେଶ ଜଣାଶୁଣା । ବିଡିଏ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସମୟରେ ରାଜଧାନୀର ସୌନ୍ଦର୍ଯ୍ୟକରଣକୁ ନେଇ ସେ ଅନେକ ପ୍ରଶଂସା ସାଉଁଟିପାରିଥିଲେ । ଆଇଏଏସ କ୍ରିଷ୍ଣ କୁମାର ଜଣେ ଲୋକପ୍ରିୟ ପ୍ରଶାସନିକ ଅଧିକାରୀ । ୨୦୦୨ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ନିଜ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତି ପାଇଁ କେବଳ ଶାସକ ଦଳ ନୁହେଁ ବିରୋଧୀ ଦଳରେ ମଧ୍ୟ ପ୍ରଶଂସାର ପତ୍ର ହୋଇପାରିଛନ୍ତି । ଯାହାକି ଖୁବ କମ ଅଫିସରଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ।

Leave A Reply

Your email address will not be published.