ହୁକିଟୋଲା ଡଙ୍ଗା ବୁଡି ଘଟଣା: ପୂର୍ଣ୍ଣିମା, ସବିତାଙ୍କୁ ପୁରସ୍କୃତ କଲେ ନବୀନ

0 399

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାକାଳପଡା ହୁକିଟୋଲା ଡଙ୍ଗାବୁଡି ଘଟଣାରେ ଅସୀମ ସାହସ ଓ ବୁଦ୍ଧିମତାର ପରିଚୟ ଦେଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଥିବା ଦୁଇ ଭାଉଣୀ ପୂର୍ଣ୍ଣିମା ଗିରି ଏବଂ ସବିତା ଗିରିଙ୍କୁ ନବୀନ ନିବାସରେ ସ୍ବତନ୍ତ୍ର ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶିକ୍ଷା ସାମଗ୍ରୀ ଓ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ପଦକ୍ଷେପ ନିଆଯିବା ସହ ସେମାନଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ହୁକିଟୋଲା ପର୍ଯ୍ୟଟନ ସ୍ଥଳୀରୁ ବଣଭୋଜି ସାରି ଫେରୁଥିବା ବେଳେ ଖୋଳା ନଦୀର ନିପିଣିଆଠାରେ ଡଙ୍ଗା ବୁଡି ଯାଇଥିଲା । ଡଙ୍ଗାରେ ୪୫ଜଣ ଯାତ୍ରୀ ଥିବା ବେଳେ ୩୫ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସାହସ ଓ ବୁଦ୍ଧିମତାର ସହ ଅଧିକାଂଶ ଲୋକଙ୍କୁ ପୂର୍ଣ୍ଣିମା ଏବଂ ସବିତା ଉଦ୍ଧାର କରିଥିଲେ । ଏଥିପାଇଁ ସେମାନଙ୍କୁ ଗତ ଶୁକ୍ରବାର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମହାକାଳପଡ଼ା ବ୍ଲକ ସଭାଗୃହରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରିଥିଲେ । ଶନିବାର ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିବା ବେଳେ ସେମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିବା ନିମନ୍ତେ ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପୂର୍ଣ୍ଣିମା ଏବଂ ସବିତାଙ୍କୁ ଜାତୀୟ ସାହାସୀକତା ପୁରସ୍କାର ପ୍ରଦାନ କରାଯିବା ପାଇଁ ସୁପାରିସ କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥି ଶତପଥୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.