ଉଭୟ ଗୃହରେ ସାଧାରଣ ବର୍ଗଙ୍କ ୧୦ ପ୍ରତିଶତ   ସଂରକ୍ଷଣ ବିଲ ପାସ୍

0 329

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ବର୍ଗର ଗରିବଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି କେନ୍ଦ୍ର ସରକାର ଆଣିଥିବା ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍‌ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ୍ ହୋଇଛି । ମଙ୍ଗଳବାର ଉକ୍ତ ବିଲ୍‌ ଲୋକ ସଭାରେ ୩୨୩-୩ ଭୋଟରେ ଗୃହୀତ ହୋଇଥିଲା । ରାଜ୍ୟ ସଭାରେ ବୁଧବାର ରାତିରେ ବିଲ୍‌ ସପକ୍ଷରେ ୧୬୫ ଭୋଟ ପଡିଥିବାବେଳେ ମାତ୍ର ୭ଟି ଭୋଟ ବିପକ୍ଷରେ ଯାଇଥିଲା ।

କେନ୍ଦ୍ରମନ୍ତ୍ରୀ ଥୱରଚାନ୍ଦ ଗେହଲଟ ଏହି ସଂଶୋଧନ ବିଲ୍‌କୁ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ । ଏହାକୁ ନେଇ ଦୀର୍ଘ ୮ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହାକୁ ସଂସଦର ସିଲେକ୍ଟ କମିଟି ପାଖକୁ ପଠାଇବାକୁ ଡିଏମ୍‌କେ ସାଂସଦ କାନିମୋଝି ପ୍ରସ୍ତାବ ଆଗତ କରିଥିଲେ । ତେବେ ଭୋଟିଂ ଦ୍ୱାରା ଏହା ଖାରଜ ହୋଇ ଯାଇଥିଲା । ୧୭୨ ଜଣ ଏମପିଙ୍କ ମଧ୍ୟରୁ ୧୬୫ ଜଣ ଏହି ବିଲକୁ ସମର୍ଥନ କରିଥିବା ବେଳେ ମାତ୍ର ୭ ଜଣ ବିରୋଧ କରିଥିଲେ । ତେବେ ଉଭୟ ଗୃହର ଅନୁମୋଦନ ଲାଭ କରିଥିବାରୁ ଏବେ ବିଲ୍‌କୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଗି ପଠାଯିବ । ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ବିଲ୍‌ ଆଇନରେ ପରିଣତ ହେବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ମିଳିବ । ଏହି ବିଲ୍‌ ଦ୍ୱାରା ଦେଶର ୩୬ କୋଟି ଲୋକ ଲାଭବାନ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଗେହଲଟ କହିଛନ୍ତି ।

Leave A Reply

Your email address will not be published.